ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

News by I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ଦିନରୁ ଏକ ହେଲଞ୍ଜ୍ ୟୁନିଭରସିଟିର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି । ଏହା ଦେଶର ୧୭ତମ ହେଲଥ୍‌? ୟୁନିଭରସିଟି ଭାବେ ପରିଗଣିତ ହେବ । ରାଜ୍ୟ ସରକାର ସମସ୍ତଙ୍କୁ ହାତପାଆନ୍ତାରେ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’କୁ ପାଥେୟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗେଇ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି ।
ଓଡ଼ିଶା ହେଲଥ୍ ୟୁନିଭରସିଟି ଆନୁକୂଲ୍ୟରେ ଆୟୋଜିତ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟର ଏକ ଦୃଷ୍ଟିକୋଣ ଯୋଜନା ପ୍ରସ୍ତୁତ କରିବା ପାଇଁ ସାରା ଦେଶର ବିଶିଷ୍ଟ ଚିକିତ୍ସାବିତ୍‌, ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ଡିନ୍ ବାଙ୍ଗାଲୁରୁ, ସ୍ୱାସ୍ଥ୍ୟ ବିଭାଗର ପ୍ରଶାସକ, ମେଡିକାଲ କଲେଜର ନିର୍ଦ୍ଦେଶକ, ଡିନ୍ ଏବଂ ପ୍ରିନ୍ସିପାଲ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଏବେ ଓଡ଼ିଶାରେ ନୂଆକରି ୭ଟି ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଠ୍ୟକ୍ରମ ଚାଲୁରହିଛି । ଆଗରୁ ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଏବେ ୧୦ଟି ମେଡିକାଲ କଲେଜ ସହିତ ହୋମିଓପାଥି, ଆୟୁର୍ବେଦ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଚାଲୁରହିଛି । ଏବେ ଏହିସବୁ ଅନୁଷ୍ଠାନଗୁଡ଼ିକ ଗୋଟିଏ ସ୍ଥାନରେ ଓଡ଼ିଶା ହେଲଥ ୟୁନିଭରସିଟି ମଧ୍ୟରେ ରହିବେ । ଏହା ଦ୍ୱାରା ଗୋଟିଏ ୟୁନିଫର୍ମ ଷ୍ଟାଣ୍ଡାର୍ଡର ମେଡିକାଲ ଶିକ୍ଷା ପ୍ରଚଳିତ ହେବ । ନିୟମିତ ତାଲିମ, ସମୟାନୁଯାୟୀ ପରୀକ୍ଷା ଓ ଫଳ ପ୍ରକାଶ ହେବ । ଏହା ସହ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ଦ୍ୱାରା ପରିଚାଳିତ ଏହି କର୍ମଶାଳାରେ ଡିଏମ୍‌ଇଟି ପ୍ରଫେସର ଡାକ୍ତର ରମାରମଣ ମହାନ୍ତି, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ କିଟ୍ ୟୁନିଭରସିଟିର ପ୍ରୋ-ଚାନ୍‌ସେଲର ପଦ୍ମଶ୍ରୀ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, ଗୌହାଟୀ ହେଲଥ୍ ୟୁନିଭରସିଟିର ଭାଇସ୍ ଚାନ୍‌ସେଲର ପ୍ରଫେସର ଧ୍ରୁବଜ୍ୟୋତି ବୋରା, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବାଙ୍ଗାଲୁରୁର ଡିନ୍ ପ୍ରଫେସର ଉଷା ବିଜୟରାଘବନ୍‌, ମହାରାଷ୍ଟ୍ରର ଡିଏମ୍‌ଇଟି ପ୍ରଫେସର ଦିଲ୍ଲୀପ ଗୋବିନ୍ଦରାଓ ମହିସେକର, ୱେଷ୍ଟବେଙ୍ଗଲ ହେଲଥ୍ ୟୁନିଭରସିଟିର ଭାଇସ୍ ଚାନ୍‌ସେଲର ପ୍ରଫେସର ଶୁହ୍ରିତା ପଲ, ମହାରାଷ୍ଟ୍ର ହେଲଥ୍ ୟୁନିଭରସିଟିର ଡିନ୍ ପ୍ରଫେସର ସଚିନ ମୁମ୍ବ୍ରେ, କେରଳ ହେଲଥ୍ ୟୁନିଭରସିଟିର ଭାଇସ୍ ଚାନ୍‌ସେଲର ପ୍ରଫେସର ମୋହନନ୍ କୁନ୍ନୁମାଲ୍‌, ଆନ୍ଧ୍ରପ୍ରଦେଶ ହେଲଥ୍ ୟୁନିଭରସିଟିର ଭାଇସ୍ ଚାନ୍‌ସେଲର ପ୍ରଫେସର ଶ୍ୟାମ ପ୍ରସାଦ ପିଗିଲାମ୍ ପ୍ରମୁଖ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ସାଂଗଠନିକ ଢାଞ୍ଚା, ଅଭିନବ ପାଠ୍ୟକ୍ରମର ବିକାଶ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଉତ୍କର୍ଷ କେନ୍ଦ୍ର ସହିତ ଅନୁସନ୍ଧାନ ଏବଂ ସହଯୋଗ, ବିଶ୍ୱବିଦ୍ୟାଳୟ କାର୍ଯ୍ୟର ଡିଜିଟାଇଜେସନ୍‌, ଅଧ୍ୟାପନା କ୍ଷେତ୍ରରେ ବିକାଶ, ଆଭ୍ୟନ୍ତରିଣ ସହଯୋଗ ଏବଂ ପ୍ରତିଷ୍ଠିତ ମହାବିଦ୍ୟାଳୟର ଭୂମିକା ସଂପର୍କରେ ଆଲୋଚନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *