ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ(ଏଜେନ୍ସି): ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନ୍ଡିଏ ମେଣ୍ଟ ପକ୍ଷରୁ ଚୟନ କରାଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଯଦି ମୁର୍ମୁ ଜିତନ୍ତି,ତା’ହେଲେ ସେ ହେବେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି । ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିବେ । ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ଶ୍ରୀମତୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ପ୍ରଥମ ମହିଳା ଭାବେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ । ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଥିଲେ । ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ସେ ଓଡ଼ିଶାରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦ୍ରୌପଦୀ ମୁର୍ମୁ ଦୁଇ ଥର(୨୦୦୦ ଓ ୨୦୦୪) ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
