ଓଡ଼ିଶାର ଡାଇରେକ୍ଟ ସେଲିଂ ଶିଳ୍ପରେ ୧୩.୩% ଅଭିବୃଦ୍ଧି, ୨୦୨୦-୨୧ରେ ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି: ସର୍ଭେ


ଭୁବନେଶ୍ୱର(ଏନ୍‌.ଏମ୍‌.) : ଓଡ଼ିଶାରେ ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରୟ) ଶିଳ୍ପ କୋଭିଡ୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ବ୍ୟବସାୟ ପରିବେଶ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚିଥିବା ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏସନ୍‍ (ଆଇଡିଏସ୍‍ଏ) ପକ୍ଷରୁ ଏଠାରେ ପ୍ରକାଶିତ ଏକ ବାର୍ଷିକ ସର୍ଭେ ରିପୋର୍ଟରେ କୁହାଯାଇଛି ।
ଏହି ରିପୋର୍ଟର ପରିସଂଖ୍ୟାନରୁ ଜଣାଯାଇଛି ଯେ ପୂର୍ବ ଆର୍ଥିକ ବର୍ଷରେ ହୋଇଥିବା ବିକ୍ରି ୯୧୨.୬୦ କୋଟି ଟଙ୍କା ତୁଳନାରେ ଏଥିରେ ୧୨୧ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି ଏବଂ ଏହା ସୂଚାଇ ଦେଉଛି ଯେ ଏହି ବ୍ୟବସାୟ ମଡେଲ ରାଜ୍ୟରେ ଏକ ଦୀର୍ଘସ୍ଥାୟୀ ଅଥବା ଅତିରିକ୍ତ ରାଜସ୍ୱ ଉତ୍ସ ଭାବରେ ଲୋକପ୍ରିୟ ହୋଇ ରହିଛି । ଓଡ଼ିଶାରେ ଡାଇରେକ୍ଟ ସେଲିଂ ରାଜ୍ୟ ରାଜକୋଷକୁ ୨୦୨୦-୨୧ ବର୍ଷରେ ଜିଏସ୍‍ଟି ଆକାରରେ ପ୍ରାୟ ୧୫୦ କୋଟି ଟଙ୍କାର ଅବଦାନ ରଖିଛି ଏବଂ ବିକ୍ରି ଦୃଷ୍ଟିରୁ ଏହା ଦେଶରେ ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି । ରାଜ୍ୟରେ ମୋଟ ପ୍ରାୟ ୩.୩୪ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହିଳା ବିକ୍ରେତା ପ୍ରାୟ ୧.୫ ଲକ୍ଷ ରହିଛନ୍ତି ଏବଂ ସେମାନଙ୍କୁ ନେଇ ରାଜ୍ୟ ୨୦୨୦-୨୧ରେ ଜାତୀୟ ସ୍ତରରେ ହୋଇଥିବା ମୋଟ ବିକ୍ରି ୧୮,୦୬୭ କୋଟି ଟଙ୍କାରେ ୫.୭୨ପ୍ରତିଶତ ଅଥବା ୧୦୩୪ କୋଟି ଟଙ୍କା ଅବଦାନ ରଖିଛି, ଯାହା ୨୦୧୯-୨୦ ବର୍ଷରେ ୫.୪୪ପ୍ରତିଶତ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ମଧ୍ୟ ବିକ୍ରି କ୍ଷେତ୍ରରେ ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ତୃତୀୟ ସ୍ଥାନ ବଜାୟ ରଖିଛି । ପୂର୍ବାଞ୍ଚଳ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡଖଣ୍ଡକୁ ନେଇ ଗଠିତ ହୋଇଥିବାବେଳେ ଏହା ଜାତୀୟ ଡାଇରେକ୍ଟ ସେଲିଂ ମାନଚିତ୍ରରେ ମୋଟ ୪୭୦୮ କୋଟି ଟଙ୍କା କାରବାର ସହିତ ଜାତୀୟ ମୋଟ ବିକ୍ରିରେ ୨୬.୦୪% ଅଂଶ ସହିତ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ଏବଂ ଏହି ଅଞ୍ଚଳରେ ମୋଟ ୨୬.୫୭ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।
ଏହି ଅବସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶାରେ ଡାଇରେକ୍ଟ ସେଲିଂ ଉପରେ ପରିସଂଖ୍ୟନ ତଥ୍ୟ ଉନ୍ମୋଚନ କରିଥିବାରୁ ଆଇଡିଏସଏକୁ ଶୁଭେଚ୍ଛା ଜଣେଇଥିଲେ । ସେ କହିଲେ ଯେ, ଦେଶରେ ଡାଇରେକ୍ଟ ସେଲିଂ ଏକ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ହୋଇଛି ଯାହା ଓଡ଼ିଶା ରାଜ୍ୟ ସମେତ ସମଗ୍ର ଦେଶର ଲକ୍ଷଲକ୍ଷ ଲୋକଙ୍କୁ ଆତ୍ମନିଯୁକ୍ତି, ଷ୍ଟାର୍ଟଅପ୍‌, ଜୀବିକା ଉପାର୍ଜନ ଏବଂ ବିକଳ୍ପ ଉତ୍ସ ତଥା ସ।।ମାଜିକ-ଅର୍ଥନୈତିକ ସଶକ୍ତିକରଣ ନିମନ୍ତେ ସୁଯୋଗ ଯୋଗାଇଦେଉଛି ।
ଖାଉଟିମାନଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ କରାଯାଉଥିବା ଡାଇରେକ୍ଟ ସେଲିଂ ନିୟମଗୁଡ଼ିକର ଅନୁପାଳନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କହିଥିଲେ ଯେ, ରାଜ୍ୟରେ ଡାଇରେକ୍ଟ ସେଲିଂ ଶିଳ୍ପର ସମ୍ପ୍ରସାରଣ ପରିପ୍ରେକ୍ଷୀରେ ନିୟମରେ ସ୍ଥିରୀକୃତ ହୋଇଥିବା ନିରୀକ୍ଷଣ କୌଶଳ ଧାର୍ଯ୍ୟ କରାଯିବା ଏବଂ ତଦ୍ୱାରା ଖାଉଟିଙ୍କ ସ୍ୱାର୍ଥ ସୁରକ୍ଷିତ ରଖାଯିବାର ଆବଶ୍ୟକତା ରହିଛି । ପ୍ରସ୍ଥାବିତ ନିରୀକ୍ଷଣ କୌଶଳ ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଆଇଡିଏସଏ ଆଗେଇ ଆସିବାକୁ ସେ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆଇଡିଏସଏ ଭାଇସ୍ ଚେୟାରମ୍ୟାନ ବିବେକ କାଟୋଚ, ଓଡ଼ିଶା ସରକାରଙ୍କ ପରାମର୍ଶଦାତା ପ୍ରଫେସର ବିଜନ ମିଶ୍ର, ଉପସ୍ଥିତ ଥିଲେ । ଆଇଡିଏସ୍‍ଏ, ଚେୟାରମ୍ୟାନ ରଜତ ବାନାର୍ଜୀ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ପ୍ରତ୍ୟକ୍ଷ ବିକ୍ରି ସମ୍ପର୍କରେ ମତରଖି କହିଛନ୍ତି, ଡାଇରେକ୍ଟ ସେଲିଂ ଶିଳ୍ପ ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଭାବରେ ଅପରିବର୍ତ୍ତିତ ରହିଛି । ୧୩%ରୁ ଅଧିକ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହିତ ଓଡ଼ିଶା ଏହି ଶିଳ୍ପ ପାଇଁ ୫ମ ସର୍ବବୃହତ ବଜାର ହୋଇଛି । ଡାଇରେକ୍ଟ ସେଲିଂ ୭୯ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଦୀର୍ଘସ୍ଥାୟୀ ଆତ୍ମନିଯୁକ୍ତି ଏବଂ ଅଣୁ-ଔଦ୍ୟୋଗିକତା ଯୋଗାଇ ଦେଇଛି । ଡାଇରେକ୍ଟ ସେଲିଂ ବିଗତ ପାଞ୍ଚବର୍ଷରେ୧୨ ପ୍ରତିଶତ ଚକ୍ରବୃଦ୍ଧି ହାରରେ ଏକ ସ୍ଥିର ଏବଂ ନିରନ୍ତର ଅଭିବୃଦ୍ଧି ଧାରା ପ୍ରଦର୍ଶନ କରିଛି । ୨୦୨୦ରେ କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ସାମାନ୍ୟ ବ୍ୟାଘାତ ସତ୍ତ୍ୱେ ଏହି ଶିଳ୍ପ ତାହାର ମଜଭୁତପଣ ଏବଂ ଦୀର୍ଘସ୍ଥାୟୀ ଭାବ ପ୍ରଦର୍ଶନ କରିଛି । ଆଇଡିଏସ୍‍ଏର ୧୮ ସଦସ୍ୟ କମ୍ପାନୀ ସଫଳତାର ସହିତ ଖାଉଟିଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବା ଏବଂ ତାହାସହିତ ଓଡ଼ିଶାରେ ୩.୩୪ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତାଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବା ନେଇ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଦାବି କରିପାରିବେ ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି ।
ଆଇଡିଏସ୍‍ଏ ସମ୍ପର୍କରେ: ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏସନ (ଆଇଡିଏସ୍‍ଏ) ଭାରତରେ ପ୍ରତ୍ୟକ୍ଷ ବିକ୍ରୟକାରୀ ଶିଳ୍ପ ପାଇଁ ଏକ ସ୍ୱୟଂଶାସିତ, ଆତ୍ମ ନିୟନ୍ତ୍ରିତ ସଂସ୍ଥା ହୋଇଛି । ଏହି ଆସୋସିଏସନ ଶିଳ୍ପ ଏବଂ ସରକାରଙ୍କର ନୀତି ନିର୍ଦ୍ଧାରଣକାରୀ ସଂସ୍ଥାଗୁଡିକ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରୁଛି ଏବଂ ଭାରତରେ ଡାଇରେକ୍ଟ ସେଲିଂ ଶିଳ୍ପ ନିମନ୍ତେ ସମସ୍ତ ବ୍ୟବସ୍ଥାକୁ ସୁଗମ କରୁଛି । ଆଇଡିଏସ୍‍ଏ ଭାରତରେ ଡାଇରେକ୍ଟ ସେଲିଂ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ତାହା ଆଗେଇନେବା ଦିଗରେ ପ୍ରୟାସ କରୁଛି ଏବଂ ସେଥିପାଇଁ ଶିଳ୍ପ ଓ ସରକାରଙ୍କ ସହିତ ପରାମର୍ଶଭିତ୍ତିକ ଏବଂ ଆଲୋଚନା ଆଧାରିତ କାର୍ଯ୍ୟକଳାପ ଜରିଆରେ ସହଯୋଗିତା ସ୍ଥାପନ କରୁଛି । ନୀତିଗତ ବିଷୟଗୁଡିକ କ୍ଷେତ୍ରରେ ସରକାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟକରି ଆଇଡିଏସ୍‍ଏ ପରିବର୍ତ୍ତନ ଆଣିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛି ଏବଂ ସାମର୍ଥ୍ୟରେ ବୃଦ୍ଧି ଘଟାଇବା ସହିତ ପ୍ରତ୍ୟକ୍ଷ ବିକ୍ରି କ୍ଷେତ୍ରରେ ଆକାଂକ୍ଷିତ ଭରସାଯୋଗ୍ୟତା, ସ୍ୱଚ୍ଛତା ଏବଂ ଆତ୍ମବିଶ୍ୱାସ ଆଣିଦେଉଛି ।

Leave a Reply

Your email address will not be published. Required fields are marked *