News by I&PR Odisha

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ଅବସରଗ୍ରହଣ

News by I&PR Odisha

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଅବସରଗ୍ରହଣ କରୁଥିବା ବରିଷ୍ଠ ପ୍ରଶାସକ ଶ୍ରୀ ପାଢୀଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କରଅବସରକାଳୀନ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।
ସମ୍ବର୍ଦ୍ଧନା ଗ୍ରହଣ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ତାଙ୍କର ଚାକିରୀ ଜୀବନର ଅନୁଭୂତି ଓ ଅଭିଜ୍ଞତା ସଂପର୍କରେ ପ୍ରକାଶ କରିଥିଲେ । ଭୁବନେଶ୍ୱର ସୈନିକସ୍କୁଲରୁ ଦ୍ୱାଦଶରେ ପାଶ୍ କରିବା ପରେ ଆର.ଇ.ସି., ରାଉରକେଲାରୁ ଇଂଜିନିୟରିଂରେ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ଏବଂ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ସରକାରୀ ଚାକିରୀରେ ଯୋଗଦେବା ଠାରୁ ଆରମ୍ଭ କରି ଅବସରଗ୍ରହଣ ପର୍ଯ୍ୟନ୍ତ ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଶାସନ ସଚିବ ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପ୍ରକାଶ ଥାଉକି, ଶ୍ରୀ ପାଢ଼ୀ ମଧ୍ୟ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଆଦି ବିଭିନ୍ନବିଭାଗରେ ଶାସନ ସଚିବ ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ସବୁଠି ଉଲ୍ଲେଖନୀୟ ଛାପ ଛାଡ଼ିଛନ୍ତି । ସଂପ୍ରତି ବୈଷୟିକ ଜ୍ଞାନର ଉପଯୋଗ କରି କିପରି ସହଜ ଓ ସରଳ ଭାବେ କାର୍ଯ୍ୟ କରାଯାଇପାରେ, ସେ ସମ୍ପର୍କରେ ଶ୍ରୀ ପାଢୀ କହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ପ୍ରସ୍ତୁତି ବେଳେ କିପରି ବହୁଲୋକ ଉପକୃତ ହେବେ, ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ ବୋଲି ଶ୍ରୀ ପାଢୀ କହିଥିଲେ, ଯାହାକୁ ସେ କାର୍ଯ୍ୟରେ ପ୍ରତିଫଳିତକରୁଥିଲେ । ଅବସରଗ୍ରହଣ କରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କର ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସି.ଟି.ଏମ୍‌.ଏସ୍‌), ବିଭାଗରେ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା(ପି.ଏମ୍‌.ୟୁ.) ଏବଂ ବିଭାଗର ୱେବ୍ ସାଇଟ୍ ସୁପରିଚାଳନାରେ ଆଦିରେ ପ୍ରମୁଖ ଭୂମିକା ରହିଥିଲା । ଅବସରକାଳୀନ ସଂବର୍ଦ୍ଧନା ସଭାରେ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ପାଢୀଙ୍କୁ ଜଣେ ସରଳ ମେଳାପୀ, ମାନବବାଦୀ ଚିନ୍ତାଧାରର ବ୍ୟକ୍ତି ଭାବେ ଅଭିହିତ କରିବା ସହିତ ଏକ ନୀତିନିଷ୍ଠ ପ୍ରଶାସକ ଭାବେ ତାଙ୍କର କର୍ତ୍ତବ୍ୟପରାୟଣତା ଓ କାର୍ଯ୍ୟକରିବାର ଶୈଳୀ ସବୁବେଳେ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ । ବୈଠକରେ ବିଭାଗର ଯୁଗ୍ମ ଶାସନ ସଚିବ ଅତସୀ ଦାସ, ଉପ ଶାସନ ସଚିବ ଅମୂଲ୍ୟ ନାୟକ, ସଂଜୟ କୁମାର ମିଶ୍ର, ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ, ଅନୁ ଶାସନ ସଚିବ ମାଥିୟାସ ତିର୍କୀ, ଶୁଭଶ୍ରୀ ପ୍ରଧାନ, ସ୍ୱତନ୍ତ୍ର ଅଧିକାରୀ ହଳଧର ନାୟକ, ଅନୁ ଶାସନ ସଚିବ ଲଷ୍ମୀଧର ବେହେରା, ପ୍ରମୁଖ ଯୋଗଦେଇ ବିଦାୟ ନେଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପାଢୀଙ୍କର ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ସଂସ୍କୃତି ବିଭାଗ ଆଗକୁ ଭଲକାମ କରିବା ସହିତ ବିଭାଗୀୟ କାର୍ଯ୍ୟରେ ସେ ଯେଉଁ ରୂପାନ୍ତରଣ ଆଣିଥିଲେ, ତାହାକୁ ଜାରି ରଖିବା ଓ ତାଙ୍କର ସ୍ୱପ୍ନର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଠା ଜାରି ରଖିବାକୁ କହିଥିଲେ । ଏହି ଅବସରରେ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *