ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବାପୁଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବାପୁଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

News By I&PR Odisha (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଭାଗ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଅବସରରେ ଗୁରୁ ବିଜୟ କୁମାର ଜେନା ଓ ସାଥିଙ୍କ ଦ୍ୱାରା ଏଠାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ପଣ୍ଡା, ଆଦ୍ୟାଶା ଦାସ, ଅନିନ୍ଦିତା ଦାସ, ଗୁରୂ ରୂପକ କୁମାର ଦାସ, ଗୁରୁ ହରପ୍ରିୟା ସ୍ୱାଇଁ, ବସୁନ୍ଧରା ପରିଡା, ମାତୃପ୍ରସାଦ ଦାସ ପ୍ରମୁଖ ଗାନ୍ଧିଜୀଙ୍କର ପ୍ରିୟ ଭଜନ ଗାନ କରି ଗାନ୍ଧିଜୀଙ୍କ ପ୍ରତି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । କଣ୍ଠଶିଳ୍ପୀମାନଙ୍କ ସୁଲଳିତ କଣ୍ଠରେ ଗାନ କରାଯାଇଥିବା ବିଭିନ୍ନ ଭଜନ ମଧ୍ୟରେ ବୈଷ୍ଣବ ଜନତୋ…, ବାପୁ ତୁମେ ଆମ ସ୍ୱାଭିମାନ…, ରାମ ଭଜନ କରୋ ମନ୍‌…, ହେ ରାମ…, ଶ୍ରୀରାମ ଶ୍ରୀରାମ…,ତେରେ ମନ ମେ ରାମ-ତନ ମେ ରାମ…, ରଘୁପତି ରାଘବ ରାଜା ରାମ… ଆଦି ଭଜନକୁ ଗୋଟିକ ପରେ ଗୋଟିଏ ଶୁଣି ଉପସ୍ଥିତ ଶ୍ରୋତାମାନେ ମନ୍ତ୍ର ମୁଗ୍ଧ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବାଦ୍ୟଯନ୍ତ୍ରରେ ଅଜୟ କୁମାର ଚୌଧୁରୀ, ତାପସ କୁମାର ସାହୁ, ଶିବନାରାୟଣ ମହାନ୍ତି, ରଞ୍ଜନ କୁମାର ସାହୁ, ସୌମ୍ୟ ରଞ୍ଜନ ଯୋଶୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବିଶିଷ୍ଟ ଉପସ୍ଥାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *