ଓଡ଼ିଶାର ବରପୁତ୍ରଙ୍କ ନାମରେ ନାମିତ କରି ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଦାବି

ଓଡ଼ିଶାର ବରପୁତ୍ରଙ୍କ ନାମରେ ନାମିତ କରି ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଦାବି

ଓଡ଼ିଶାର ବରପୁତ୍ରଙ୍କ ନାମରେ ନାମିତ କରି ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଦାବି

#କଟକ (ଏନ୍‌.ଏମ୍‌.): ସ୍ଥାନୀୟ ଦେଉଳସାହି ସ୍ଥିତ ମୋନାଲିସା ମଣ୍ଡପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରନେତା ଓ ବୁଦ୍ଧିଜୀବୀ ସାମୁଖ୍ୟ ପକ୍ଷରୁ ରେଭେନ୍ସାର ନାମ ପରିବର୍ତ୍ତନକୁ ସମର୍ଥନ କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ଆଇନଜୀବୀ ଶୁଭେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ରେଭେନ୍ସାର ନାମ ପରିବର୍ତ୍ତନ ଯଥାର୍ଥ ଓ ସମୟପୋଯୋଗୀ ବୋଲି ସର୍ବସମ୍ମତ ମତପ୍ରକାଶ ପାଇଥିଲା। ଏହି ପୁରାତନ ମହାବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା। ରେଭେନ୍ସାର ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଜନୈକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଏହା ଉପରେ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ବିତର୍କର ଆବଶ୍ୟକତା ରହିଛି ବୋଲି କହିଥିବା ବ୍ୟକ୍ତିଗତ ମତକୁ କଦାକାର କରି ଯେଉଁପରି ରୂପେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଉଛି, ତାହା ନିଶ୍ଚିତ ରୂପେ ନିନ୍ଦନୀୟ ବୋଲି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ। କଟକ ସଦରର ମାନ୍ୟବର ବିଧାୟକ ପ୍ରକାଶ ସେଠୀ ବୈଠକରେ ଯୋଗଦେଇ ରେଭେନ୍ସାର ନାମ ପରିବର୍ତ୍ତନକୁ ପୂର୍ଣ୍ଣ ସମର୍ଥନ କରିବା ସହିତ ପୁରାତନ ରେଭେନ୍ସା ଭଳି ଏହି ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି କହିଥିଲେ। ଆନ୍ତର୍ଜାତିକସ୍ତରର ଶିକ୍ଷାଦାନ ବ୍ୟବସ୍ଥା କରିବା ସହିତ ଏହାକୁ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଗଢିତୋଳିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଶ୍ରୀ ସେଠୀ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୁମିକୁ ସୁଦୃଢ଼ କରିବା ସହିତ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପ୍ରତି ବିଶେଷ ନଜର ଦେବା ଓ ଏହାକୁ ଏକ ଉଚ୍ଚକୋଟୀର ଗବେଷଣା କେନ୍ଦ୍ର ଭାବେ ସର୍ବଭାରତୀୟସ୍ତରରେ ପ୍ରତିଷ୍ଠିତ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ବିଜେପି କର୍ପୋରେଟର ଗଗନ ଓଝା କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇ ରେଭେନ୍ସାର ଭୌଗୋଳିକ ସ୍ଥିତିକୁ ଅଧିକ ସୌନ୍ଦର୍ଯ୍ୟମୟ କରିବା ସହିତ ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ବିଭ୍ରାନ୍ତିକର ପ୍ରଚାର ଚଳାଇଥିବା ବିରୋଧୀ ରାଜନୈତିକ ଦଳ ହୀନ ରାଜନୀତିରୁ ନିବୃତ୍ତ ରହିବା ନିମନ୍ତେ ଆହ୍ୱାନ ଦେଇ ଥିଲେ। ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ଜ୍ୟୋତିରଞ୍ଜନ ରାୟ ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଦୃଢ ସମର୍ଥନ କରିବା ସହିତ ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଇ ଓଡ଼ିଶାର କୌଣସି ବି ବରପୁତ୍ରଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟକୁ ନାମିତ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ରାୟ ଅନୁଷ୍ଠାନର ଉନ୍ନତି, ମୌଳିକ ସମସ୍ୟା ଓ ଶୃଙ୍ଖଳିତ ପରିବେଶ ନିମନ୍ତେ କର୍ତ୍ତୃପକ୍ଷ ଉଚିତ ତଥା ଦୃଢ଼ ପଦକ୍ଷେପ ନେବା ସହିତ ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ନିମନ୍ତେ କଟକର ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଚେଷ୍ଟାକୁ ଭୁୟସୀ ପ୍ରଶଂସା କରିଥିଲେ। ନରହନ୍ତା ଦୁର୍ଦ୍ଦାନ୍ତ ଟି. ରେଭେନ୍ସାଙ୍କୁ ସମର୍ଥନ କରି ବିରୋଧୀମାନଙ୍କ ଦ୍ୱାରା କରାଯାଉ ଥିବା ହୀନ ରାଜନୀତିକୁ ଦୃଢ଼ ବିରୋଧ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାଇ ଦିଆଯାଇଥିଲା। ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ବିତର୍କର ଆବଶ୍ୟକତା ରହିଛି ବୋଲି କେନ୍ଦମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ କଦାକାର କରି ବିରୋଧୀ ତଥା କିଛି ଅନୁଷ୍ଠାନ ଦ୍ୱାରା ସର୍ବସମ୍ମୁଖରେ ହେଉଥିବା ପ୍ରଦର୍ଶନକୁ ବୈଠକରେ ଉପସ୍ଥିତ ଥିବା ଶିକ୍ଷାବିତ ଓ ବୁଦ୍ଧିଜୀବୀମାନେ ଦୃଢ ନିନ୍ଦା କରିଥିଲେ। ଏହି ବୈଠକରେ ଶିକ୍ଷାବିତ ତୁଷାର କାନ୍ତି, ବଂଶୀଧର ପରିଡା, ପଙ୍କଜ ଜଟି, ପୂର୍ବତନ ଛାତ୍ରନେତା ପ୍ରକାଶ ଦାସ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ଶ୍ରୀନିବାସ ରାଓ, ବିକାଶ ଦାସ, ଗଗନ ବାରିକ, ସଂଗ୍ରାମ ଦାସ, ଚଣ୍ଡୀ ମହାନ୍ତି, ଶରତ ସାମଲ, ଗୟାଧର ମହାନ୍ତି, ସସ୍ମିତା ସୁତାର, ଅନିତା ବାରିକ, ସୁଲୋକନାଥ ଦାସ, ନୀତେଶ ଦାସ, ଗୌରବ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି