ଏସ.ସି.-ଏସ.ଟି ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି
କଟକ(ଏନ୍.ଏମ୍.): ତଫସିଲଭୁକ୍ତ ଜାତି ଓ ଜନଜାତି ପରିବାରଙ୍କୁ ସବୁବେଳେ ଅଣଦେଖା କରାଯାଉଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ବର୍ଗର ବ୍ୟକ୍ତିବିଶେଷ ସବୁବେଳେ ହୀନମାନସିକତାର ଶିକାର ହେଉଛନ୍ତି। ସରକାରୀ ଅଧିକାରୀ ହୁଅନ୍ତୁ ବା ଲୋକପ୍ରତିନିଧି ସମସ୍ତଙ୍କ ନିକଟରେ ଏସସି-ଏସଟିମାନଙ୍କୁ ଅସମ୍ମାନ କରାଯାଉଛି। ତେଣୁ ଏହି ବର୍ଗର ଜନସାଧାରଙ୍କୁ ମୌଳିକ ଅଧିକାର ଏବଂ ନ୍ୟାୟ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆମ୍ବେଦକର ସ୍ମୃତି ପରିଷଦ ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଜାତିଆଣ ଭେଦଭାବ ଏକ ସାମାଜିକ ବ୍ୟାଧି ଏବଂ ଆଇନତଃ ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ କିଛି ଅସାଧୁ ପ୍ରଶାସନିକ ଅଧିକାରୀ ଓ ଅସାଧୁ ପୁଲିସ ଅଧିକାରୀଙ୍କ ଭିନ୍ନ ଉଦ୍ଦେଶ୍ୟ ଯୋଗୁଁ ରାଜ୍ୟରେ ତଫସିଲଭୁକ୍ତ ଜାତି/ଜନଜାତି ଲୋକମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି। ତେଣୁ ଏହାକୁ ଦୂର କରିବା ଏବଂ ଏସ.ସି./ ଏସ.ଟି ପରିବାରଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ସରକାର ସ୍ୱତନ୍ତ୍ର କୋର୍ଟ ମାଧ୍ୟମରେ ବିଚାର ବ୍ୟବସ୍ଥା ଠାରୁ ଆରମ୍ଭ କରି ପୀଡ଼ିତ/ପୀଡିତାଙ୍କୁ କ୍ଷତି ପୂରଣ ବାବଦ କ୍ଷତିପୂରଣ ବାବଦ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର କଡା ଆଇନ ବ୍ୟବସ୍ଥା କରିଛନ୍ତି। କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ଅସାଧୁ ପ୍ରଶାସନିକ ଅଧିକାରୀ, ଅସାଧୁ ପୁଲିସ ବାବୁ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏମାନଙ୍କୁ ସରକାରୀ ସହାୟତା ରାଶି ମିଳିବାରେ ବହୁ ବିଳମ୍ବ ହେଉଛି। ଏପରିକି ବର୍ଷ ବର୍ଷ ଧରି ଜିଲ୍ଲାମଙ୍ଗଳ ଅଧିକାରୀ(ଡି.ଡବ୍ଲୁ.ଓ) ଏବଂ ସ୍ଥାନିୟ ବ୍ଲକ କାର୍ଯ୍ୟଳୟରେ ପଡ଼ିରହୁଛି। ଫଳରେ କାର୍ଯ୍ୟାଳୟକୁ ହିତାଧିକାରୀ ଦୌଡି ଦୌଡି ନିରାଶ ହେଉଛନ୍ତି। କେତେକ ସ୍ଥଳେ ପ୍ରଥମ ସହାୟତା ରାଶି ପ୍ରଦାନ କରାଯାଇ ସମ୍ପୁର୍ଣ୍ଣ ସହାୟତା ରାଶି ଦେବାରେ ଟାଳଟୁଳ ନୀତି ଏବଂ ଲାଞ୍ଚଖୋର ମନୋଭାବ ଦେଖିବାକୁ ମିଳୁଛି। ସେହିପରି ରାଜ୍ୟର ବିଭିନ୍ନ ଥାନାରେ କିଛି ଅସାଧୁ ପୁଲିସ ବାବୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡା ନିର୍ଦ୍ଦେଶକୁ ବେଖାତିର କରି ଏସ.ସି./ ଏସ.ଟି ମାମଲାଗୁଡିକୁ ମାମଲାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରିବା ବଦଳରେ ମାମଲା ରୁଜୁ କରି ଚୁପ୍ ହୋଇ ବସିବା ସହିତ କେତକ ସ୍ଥଳେ ମାମଲାକୁ ବନ୍ଦ କରି ଫଲ୍ସ ବୋଲି ଅଦାଲତଙ୍କୁ ଦର୍ଶାଉଛନ୍ତି । ତେବେ ଏସବୁ ଚାଲୁଛି କାହା ସ୍ୱାର୍ଥରେ, କାହା ଇଙ୍ଗିତରେ, କାହା ପ୍ରରୋଚନାରେ ବୋଲି ପରିଷଦ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏପରିକି ସଦର ଥାନା ମାମଲା ନମ୍ବର-୫୪୯/୨୦୨୩, ୧୦୮/୨୦୨୦ ବାଦାମବାଡି ଥାନା, ୨୭୫/୨୦୨୩ ଏବଂ ସଦର ଥାନା ୮୭/୨୦୨୧ଇତ୍ୟାଦି ଏହାର ଜ୍ୱଳନ୍ତ ପ୍ରମାଣ। ଯାହାକୁ ମୁଖ୍ୟମନ୍ତ୍ରୀ ଚାହିଲେ ସତ୍ୟ ଉନ୍ମୋଚନ କରିପାରିବେ। ଏହିଭଳି ଏକାଧିକ ସମ୍ବେଦନଶୀଳ, ସ୍ପର୍ଷକାତର, ଗୁରୁତ୍ୱପୂର୍ଣ୍ଣ, ଅଭାବନୀୟ ଘଟଣାଗୁଡିକୁ ଗମ୍ଭୀରତାର ସହିତ ବିଚାରକରି ଉଚିତ ଅନୁସନ୍ଧାନ କରାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରିଷଦ ପକ୍ଷରୁ ଦାବି ହୋଇଛି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରବିନ୍ଦ୍ର ବେହେରା, ଅଶୋକ କୁମାର ମଲ୍ଲିକ, ନିମାଇଁ ଜେନା, ବାବାଜୀ ଜେନା, ପ୍ରଭଞ୍ଜନ ନାୟକ, ହରପ୍ରିୟା ସେଠୀ, ଜୁନେଦ ଖାନ୍, ନବଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।