ଏସ୍‌ସିବି ମେଡିକାଲ ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର

ଏସ୍‌ସିବି ମେଡିକାଲ ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ସ୍ୱାସ୍ଥ୍ୟ କ୍ଷେତ୍ରରେ କଟକ ବଡ଼ଡାକ୍ତରଖାନା(ଏସସିବି)ର ସୁନାମ ରହିଛି । ସରକାର ଏସସିବି ମେଡ଼ିକାଲର ଭିତ୍ତିଭୂମିର ବିକାଶ କରାଇବା ପରେ ଏଠାରେ ବହୁ ଜଟିଳ ରୋଗର ଚିକିତ୍ସା ସହଜସାଧ୍ୟ ହୋଇ ପାରିଛି । ତେବେ ଚିକିତ୍ସା କ୍ଷେତ୍ରରେ ଏସସିବିକୁ ଆଉ ଏକ ସଫଳତା ମିଳିଛି । ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି । ଆକ୍ୟୁଟ୍ ପଲମ୍ୟୁନାର ଥ୍ରମ୍ବୋଏମ୍ବୋଲିଜମ୍ ବା ଫୁସ୍‌ଫୁସ୍‌ରୁ ହୃଦବକ୍ଷକୁ ସଂଯୋଗ କରୁଥିବା ଦୁଇଟି ରକ୍ତବାହୀ ନଳୀରେ ରକ୍ତ ଜମାଟ (ବ୍ଲଡ୍ କ୍ଲଟ) ହୋଇଥିଲା । ଶଲ୍ୟ ଚିକିତ୍ସା କରିବା ଜଟିଳ ହେବା ସହିତ ନିଶ୍ଚେତନ (ଆନାସ୍ଥେସିଆ) ଦେଇ ଅସ୍ତ୍ରୋପଚାର କରିବା ସହଜ ନଥିଲା । ହୃଦ୍ ବକ୍ଷ ଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ୩ଟି ଦଳ ଯୋଜନା ପ୍ରସ୍ତୁତ କରି ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର କରିବା ପରେ ଶେଷରେ ଦୁଇଟି ନଳୀରୁ ବହୁ ପରିମାଣର ରକ୍ତ ଜମାଟ ବାହାର କରିବାରେ ସଫଳ ହୋଇଥିଲେ । ଏଭଳି ମାମଲା କ୍ୱଚିତ୍ ବଡ଼ଡାକ୍ତରଖାନାକୁ ଆସିଥାଏ । ଦ୍ୱିତୀୟ ଥର ପାଇଁ ଏହି ରୋଗ ବିଭାଗକୁ ଆସିଥିବା ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି ।
ଯାଜପୁର ବରୀ ଅଞ୍ଚଳର ସୁଶାନ୍ତ କୁମାର ପତି ଅଣନିଃଶ୍ୱାସୀ ହେବା ପରେ ହୃଦ୍‌ରୋଗ ବିଭାଗକୁ ଆସିଥିଲେ । ସେଠାରେ ତ୍ୱରିତ ଚିକିତ୍ସା କରାଯିବା ପରେ ବିଭିନ୍ନ ପରୀକ୍ଷା କରାଯାଇଥିଲା । ତେବେ ଫୁସଫୁସ-ହୃଦ୍‌ବକ୍ଷ ସଂଯୋଗ କରୁଥିବା ଡାହାଣ ରକ୍ତନଳୀଟିରେ ରକ୍ତ ଜମାଟ ଯୋଗୁଁ ରକ୍ତ ଯାତାୟତ ବନ୍ଦ ହୋଇଯାଇଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା । ସେହିଭଳି ବାମପଟ ରକ୍ତବାହୀ ନଳୀଟିରେ ପ୍ରାୟ ୫୦ ପ୍ରତିଶତ ବନ୍ଦ ରହିଥିବା ଜଣାପଡ଼ିଥିଲା । ଏହି ମାମଲା ହୃଦ୍ ବକ୍ଷ ଶଲ୍ୟ ବିଭାଗକୁ ଆସିବା ପରେ ଗୁରୁତର ଦୃଷ୍ଟିରୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତିନିଟି ଦଳ ଯଥା ଅସ୍ତ୍ରୋପଚାର, ନିଶ୍ଚେତନ ଓ ରକ୍ତ ସଂଚାଳକ ଦଳ ଗଠନ କରି ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ଫୁସ୍‌ଫୁସ୍‌ରେ ଅମ୍ଳଜାନ ଶୋଧନ ହୋଇପାରୁ ନଥିବାରୁ ନିଶ୍ଚେତକ (ଆନାସ୍ଥେସିଆ) ଦେବା ସହଜ ହୋଇ ନଥିଲା । ଏହି ସମସ୍ୟାକୁ ଏଡ଼ାଇବାକୁ ପୂର୍ବରୁ ପ୍ରସ୍ତୁତ ଥିବା ନିଶ୍ଚେତନ ଓ ରକ୍ତ ସଂଚାଳକ ଦଳ ଏଥିପାଇଁ କୃତ୍ରିମ ଫୁସଫୁସ୍ ମେସିନ୍‌ରେ ରକ୍ତବାହୀ ନଳୀକୁ ବାଇପାସ୍ କରିଥିଲେ । ହୃତ୍‌ପିଣ୍ଡକୁ ବନ୍ଦ କରି ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ଦୁଇଟି ନଳୀରୁ ସନ୍ତର୍ପଣର ସହିତ ରକ୍ତ ଜମାଟକୁ କଢ଼ାଯାଇଥିଲା । ଅସ୍ତ୍ରୋପଚାରରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପଟ୍ଟନାୟକ ସହ ସହକାରୀ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସାହୁ, ସହକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ ଥଟେଇ, ନିଶ୍ଚେତନ ବିଭାଗ ପକ୍ଷରୁ ଡାକ୍ତର ଦେବାଶିଷ ସ୍ୱାଇଁ, ଡାକ୍ତର ଅରୁଣ ସାହୁ, ଡାକ୍ତର ସୌଭାଗ୍ୟ ଏବଂ ରକ୍ତ ସଂଚାଳନ ଦଳ ପକ୍ଷରୁ ଡାକ୍ତର ସନାତନ ଏବଂ ଡାକ୍ତର ସୁକାନ୍ତ ସାମିଲ ହୋଇଥିଲେ । ସେବିକାମାନେ ସହାୟତା କରିଥିଲେ । ଏହି ରୋଗ ହେବାର କାରଣଗୁଡ଼ିକ ରୋଗୀଙ୍କର ନଥିବାରୁ କୋଭିଡ୍ ପରବର୍ତ୍ତୀ ଯୋଗୁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏ ସଂକ୍ରାନ୍ତର କାରଣ ଖୋଜାଚାଲିଛି ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *