ଏନଜିଟି ନିୟମକୁ ଫୁ … ଅସୁରକ୍ଷିତ ଅବସ୍ଥାରେ ମହାନଦୀର ଜଳ
#ଚୌଦ୍ୱାର(ଏନ୍.ଏମ୍.): ଦେଶରେ କୌଣସି ପରିବେଶ କିମ୍ବା ଜଳସମ୍ପଦ ନଷ୍ଟ ନହେବା ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛି। ଏହି ଗାଇଡ଼ଲାଇନରୁ ଟିକେ ବି ଉଲ୍ଲଙ୍ଘନ ହେଲେ ଏନଜିଟି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ହେଲେ ରାଜ୍ୟରେ ଏନଜିଟି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ପରିବେଶ ବିତ ତଥା ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରିଛି। ଓଡ଼ିଶାର ବଡ ନଦୀ ଭାବେ ମହାନଦୀ ବେଶ ଜଣାଶୁଣା। କେବଳ ବଡ଼ ନଦୀ ନୁହେଁ ରାଜ୍ୟର ଜୀବନରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଏବେ ଏହି ମହାନଦୀର ପବିତ୍ର ଜଳରାଶି ବିଷ ପାଲଟିବାକୁ ବସିଛି। ଯାହା ଫଳରେ ଅସୁରକ୍ଷିତ ହୋଇ ପଡ଼ିଛି ମହାନଦୀର ଜଳରାଶି। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଶତାଧିକ ଜନସାଧାରଣ ଏହି ମହାନଦୀର ଜଳ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି। ହଜାର ହଜାର ଜୀବ ଜଗତ ମହାନଦୀ ଜଳରେ ତୃଷା ମେଣ୍ଟାଇଥାନ୍ତି। କିନ୍ତୁ ଆଜି ଏହି ମହାନଦୀର ଜଳ ପ୍ରଦୂଷିତ ହୋଇ ବିଷ ପାଲଟି ଗଲାଣି। ଫଳରେ ସମସ୍ତ ଜନସାଧାରଣ କଷ୍ଟ ଅନୁଭବ କରୁଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହାନଦୀ ପାଶ୍ୱର୍ରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାମାନେ ମହାନଦୀର ପବିତ୍ର ଜଳକୁ ଦୂଷିତ କରିବାରେ ଲାଗିପଡ଼ିଛନ୍ତି। ଏହି ଶିଳ୍ପସଂସ୍ଥାମାନେ ମହାନଦୀରୁ ଜଳ ଉଠାଇ ବ୍ୟବହାର କରିବା ସହ ବର୍ଜ୍ୟଜଳଗୁଡ଼ିକୁ ସିଧାସଳଖ ଭାବେ ମହାନଦୀକୁ ଛାଡ଼ି ଦେଉଛନ୍ତି। ଫଳରେ ନଦୀର ଜଳରେ ବିଭିନ୍ନ ଆବର୍ଜନା ତଥା ରାସାୟନିକ ପଦାର୍ଥ ମିଶିବା ଦ୍ୱାରା ଜଳ ପ୍ରଦୂଷିତ ହେବା ସହ ବିଷ ପାଲଟି ଯାଉଛି। ଫଳରେ ନଦୀ ଉପରେ ନିର୍ଭର ଥିବା ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ଗାଧୋଇବା ପାଇଁ ଅସୁବିଧା ହେଉଛି ତ ପାଣି ପିଇବା ନେଇ, ଆଉ କେଉଁଠି ଅଚାନକ ମାଛ ମରି ଯାଉଛନ୍ତି। କେବଳ ସେତିକି ନୁହେଁ ଏହି ଦୂଷିତ ପାଣି ବ୍ୟବହାର କରୁଥିବା ବହୁ ଲୋକେ ଚର୍ମ ରୋଗ ସହ ବିଭିନ୍ନ ପେଟରୋଗର ମଧ୍ୟ ଶିକାର ହେଉଛନ୍ତି। ବିଶେଷ କରି ମହାନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ଏବଂ ଏହା ଉପରେ ନିର୍ଭର କରି ବଞ୍ଚୁଥିବା କୃଷକ, ଧୀବରମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛତିଶଗଡ଼ରୁ ଉତ୍ପତ୍ତି ମହାନଦୀ ୯୦୦କିଲୋମିଟର ବ୍ୟାପୀ ଲମ୍ବିଥିବାବେଳେ ଓଡ଼ିଶା ଭିତର ଦେଇ ୪୯୪କିଲୋମିଟର ଥାଇ ବଙ୍ଗୋପସାଗରରେ ମିଶିଛି। ତେଣୁ ସମ୍ବଲପୁର ଠାରୁ ଜଗତସିଂହପୁର ପାରାଦ୍ୱୀପ ପର୍ଯ୍ୟନ୍ତ ମହାନଦୀର ଉଭୟ ପାଶ୍ୱର୍ରେ ଥିବା ଜନବସତି ଏହାକୁ ମା’ ବୋଲି ଭାବିଥାନ୍ତି। ତେଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ପରିବେଶବିତ ବୁଦ୍ଧିଜୀବୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ମହାନଦୀର ସୁରକ୍ଷା ପାଇଁ ଆନ୍ଦୋଳନ ଜୋରଦାର ହେବ ବୋଲି ବିଭିନ୍ନ ମହଲରେ ଲୋକେ ଏକତ୍ରିତ ହେଉଥିବା ଜଣାପଡ଼ିଛି।