ଇପିଏଫ ପେନସନ ଭୋଗିଙ୍କ ଦିଲ୍ଲୀ ସମାବେଶ
ନୂଆଦିଲ୍ଲୀ (ଏନ୍.ଏମ୍.): ଜାତୀୟ ଇପିଏଫ ପେନସନର୍ସ ସଙ୍ଘ ଦ୍ୱାରା ଆୟୋଜିତ ଇପିଏଫ ପେନସନର୍ସ ମାନଙ୍କର ଧ୍ୟାନ ଆକର୍ଷଣ ଧାରଣା ସମାବେଶ ଦିଲ୍ଲୀ ଯନ୍ତର ମନ୍ତର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରକାଶ ୟେଣ୍ଡେ ଏଥିରେ ଅଧକ୍ଷତା କରିଥିଲେ। ଏହି ସମାବେଶରେ ଓଡିଶା ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୋଆ, ହରିୟାନା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ର , ତେଲେଙ୍ଗାନା, ତାମିଲନାଡୁ ଓ କେରଳ ଇତ୍ୟାଦି ରାଜ୍ୟ ମାନଙ୍କରୁ ୧୦୦୦ରୁ ଉର୍ଦ୍ଧ ନେତୃତ୍ୱ ଯୋଗଦେଇଥିଲେ। ରାଷ୍ଟ୍ରୀୟ ଉପସଭାପତି ତଥା ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମାଙ୍କ ନେତୃତ୍ୱରେ ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ବହୁ ପେନସନର୍ସ ଉକ୍ତ ଧାରଣାରେ ଯୋଗଦେଇଥିଲେ। ଏହି ସମାବେଶକୁ ସମ୍ବୋଧିତ କରିବା ଅବସରରେ ଓଡିଶାର ପୂର୍ବତନ ସାଂସଦ ତଥା ଆଇ ଏନ ଟି ୟୁ ସିର ସର୍ବ ଭାରତୀୟ ଉପସଭାପତି ରାମ ଚନ୍ଦ୍ର ଖୁଣ୍ଟିଆ ଉଦବୋଧନ ଦେଇ ଇପିଏଫ ପେନସନର୍ସ ମାନଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ଓ କ୍ରମାଗତ ଅବହେଳାକୁ ନିନ୍ଦା କରିବା ସହ ଏବାବଦରେ ସେ ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ସଭାପତି ଓ ବିରୋଧି ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଥିଲେ।ମହାରାଷ୍ଟ୍ର ଓ କେରଳର ୬ଜଣ ପାର୍ଲିଆମେଣ୍ଟ ସଦସ୍ୟ ଏହି ସମାବେଶରେ ଉଦବୋଧନ ଦେଇ ପେନସନର୍ସ ମାନଙ୍କ ଏହି ଦାବିକୁ ଦୃଢ ସମର୍ଥନ ଜଣାଇବା ସହ ସଂସଦରେ ଉପସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲେ।ସଂଗଠନର ପ୍ରମୁଖ କର୍ମକର୍ତ୍ତା ଭୀମରାଓ ଡୁଙ୍ଗୁରେ, ପୁଣ୍ଡଳୀକ ପାଣ୍ଡେ ତଥା ଅନ୍ୟ ରାଜ୍ୟର ନେତୃତ୍ୱ ମାନେ ଉଦବୋଧନ ଦେଇ ଦାବି ପୂରଣ ନହେଲେ ଆଗାମୀ ଦିନରେ ଦେଶ ସାରା ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ ଦେଇଥିଲେ। ୪ଦଫା ଦାବି ଯଥା ସର୍ବନିମ୍ନ ପେନସନ ୯୦୦୦ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ବର୍ଦ୍ଧିତ ହାରରେ ତୁରନ୍ତ ପେନସନ ପ୍ରଦାନ କରିବା,ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ନିଶୁକ୍ଳ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଦାବି ନେଇ ଏହି ଧାରଣା ଆୟୋଜନ କରାଯାଇଥିଲା।