ଆଠଗଡ଼ ମହୋତ୍ସବ ଉଦ୍‌ଯାପିତ

ଆଠଗଡ଼ ମହୋତ୍ସବ ଉଦ୍‌ଯାପିତ
ଭାଷା, କଳା ଓ ସଂସ୍କୃତିର ଉନ୍ନତି ଜାତିର ପ୍ରଗତି : ମନ୍ତ୍ରୀ ରଣେନ୍ଦ୍ର

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଭାଷା, କଳା ଓ ସଂସ୍କୃତିର ଉନ୍ନତି ହେଲେ ଗୋଟିଏ ଜାତିର ପ୍ରଗତି ହୋଇ ପାରିବ । ଆଜି ଓଡ଼ିଶା ଭାଷା, କଳା ଓ ସଂସ୍କୃତିକୁ ନେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇପାରିଛି । ତେବେ ଆଠଗଡ଼କୁ ଛାଡ଼ିଦେଲେ ଓଡ଼ିଶାର ପରିଚୟ ଅଧୁରା ରହିଯିବ । ଆଜି ପ୍ରଗତି ପଥରେ ଆଠଗଡ଼ ଆଗେଇ ଚାଲିଛି । ଅଞ୍ଚଳର ବହୁବିଧ ଉନ୍ନତି ହୋଇଥିଲେ ମଧ୍ୟ ଏହାର ଅଧିକ ବିକାଶ ପାଇଁ ଅଧିକ ଉଦ୍ୟମ ଜାରି ରହିଛି ବୋଲି ଆଠଗଡ଼ ମହୋତ୍ସବରେ ମୁଖ୍ୟଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ମତବ୍ୟକ୍ତ କରିଥିଲେ ।
ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଚୌଦ୍ୱାର ଏସ.ଡି.ପି.ଓ ସତ୍ୟବ୍ରତ ଲେଙ୍କା, ଆଠଗଡ ଏସ.ଡି.ପି.ଓ ବିଜୟ କୁମାର ବିଶି, ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ, ଆଠଗଡ ଓକିଲ ସଂଘ ସମ୍ପାଦକ ବନବିହାରୀ ସାହୁ ଓ ସଭାପତି ସାତ୍ୟେନ ପଣ୍ଡା, ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ଯୋଗ ଦେଇ ଏହି ମହୋତ୍ସବ ରାଜ୍ୟର କଳା ଓ ସଂସ୍କୃତିର ସମନ୍ୱୟର କେନ୍ଦ୍ରବିନ୍ଦୁ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସ୍ମରଣିକା ‘ଅଷ୍ଟାୟନ’ ନାମର ବ୍ୟାଖ୍ୟା କରିଥିଲେ । ମହୋତ୍ସବ କମିଟିର ସଂଯୋଜକ ତଥା ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ଉପଢୌକନ ଓ ସ୍ମାରକୀ ଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ପରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସାମ୍ବାଦିକ ମହେଶ୍ୱର ବେହେରାଙ୍କ ସମେତ ଆଠଗଡ ଓ ତିଗିରିଆର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଉପଢୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଆଠଗଡ଼ ଅଞ୍ଚଳର ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଦୀର୍ଘ ୬ଦିନ ଧରି ଚାଲିଥିବା ଏହି ମହୋତ୍ସବର ପ୍ରତିଟି ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ନାମୀଦାମୀ କଣ୍ଠଶିଳ୍ପୀଙ୍କ ସଂଗୀତର ମୂର୍ଚ୍ଛନାରେ ଦର୍ଶକ ବିମୋହିତ ହୋଇ ପଡ଼ିଥିଲେ । ଏଥି ସହିତ ବିଭିନ୍ନ ଷ୍ଟଲରେ ଖାଦ୍ୟ ଓ ଦୋଳି ସାଙ୍ଗକୁ ମୀନାବଜାରର ଭରପୁର ମଜା ଉଠାଇଥିଲେ ଦର୍ଶକ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *