ଅବହେଳାରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ
ବିପର୍ଯ୍ୟୟ ମୁକାବିଲା ପାଇଁ ମାତ୍ର ୨ଟି ବାତ୍ୟା ଆଶ୍ରୟ ସ୍ଥଳୀ
#ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ଲକ ଭାବେ ରହିଥିବା ବେଳେ ଏଠାରେ ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇ ପଡ଼ିଛି। ଏହି ବ୍ଲକରେ ୨୪ଗୋଟି ପଞ୍ଚାୟତ ରହିଥିବାବେଳେ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି। ତଥାପି ଏଠାରେ ଜନସାଧାରଣଙ୍କସମସ୍ୟାର ସମାଧାନ ଶୂନ କହିଲେ ଅତ୍ୟୁତି ହେବ ନାହିଁ। ଗୋଟିଏ ପଟେ ରାଜ୍ୟ ସରକାର ପଞ୍ଚାୟତରାଜ ବିଭାଗ ଜରିଆରେ ବ୍ଲକ ମାଧ୍ୟମରେ ସମସ୍ତ କାମର ସମୀକ୍ଷା ଓ ସମାଧାନ ମଧ୍ୟ କରିଥାନ୍ତି। ହେଲେ ବିଡମ୍ବନାର ବିଷୟ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଏସବୁ ସଠିକ ଭାବେ ହେଉନଥିବା ସାଧାରଣରେ ଅଭିଯୋଗ ହୋଇଛି।
ବିଶେଷ କରି ବାତ୍ୟା ବନ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଏହାର ମୁକାବିଲା ନିମନ୍ତେ ସରକାର ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଇଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ସମ୍ପ୍ରତି ୨୪ଟି ଗ୍ରାମ ପଞ୍ଚାୟତ ଥିବାବେଳେ ମାତ୍ର ୨ଟି ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ରହିଅଛି। ସମୁଦାୟ ବ୍ଲକରେ ଗୋଟିଏ କୟଳପଡ଼ା ପଞ୍ଚାୟତରେ ଥିବାବେଳେ ଅନ୍ୟ ଗୋଟିଏ କଖଡ଼ି ପଞ୍ଚାୟତରେ ରହିଛି। ତେବେ ବାକି ଅନ୍ୟ ସବୁ ପଞ୍ଚାୟତରେ ଥିବା ସ୍କୁଲ୍ ଘରକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯାଉଛି। ଯାହା ବ୍ୟବହାର ଅନୁଯୋଗୀ ହୋଇ ପଡ଼ିଛି। ତେବେ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ନିର୍ମିତ ସ୍କୁଲ ଗୁଡ଼ିକ ଏବେ ଅବ୍ୟବସ୍ଥାରେ ରହିଛି, କେଉଁଠି ପାଣି, ବିଜୁଳି, ଶୌଚାଳୟ ନାହିଁ ତ ଆଉ କେଉଁଠି ପାଚେରୀ ଭାଙ୍ଗିଯାଉଛି। ଏପରିକି ଘରର ରଙ୍ଗ ଛାଡ଼ିବା ସମେତ କେଉଁଠି କୁଢ଼ କୁଢ଼ ଅଳିଆ ଆଦି ବିଭିନ୍ନ ସମସ୍ୟା ରହିଛି। ତେଣୁ ବାତ୍ୟା କିମ୍ବା ପ୍ରାକୃତିକ ବିପର୍ଯୟ ବେଳେ ଉକ୍ତ ଘର ଗୁଡ଼ିକ ଉପରେ ନଜର ପଡେ ନହେଲେ ବାକି ସମୟରେ ଏହା ଅଲୋଡ଼ା। ସୂଚନା ମୁତାବକ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଦୀର୍ଘ ବର୍ଷ ଧରି ୩ ଜଣ ବିଧାୟକ ରହିଥିବା ଯଥା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ସୌଭିକ ବିଶ୍ୱାଳ, ଆଠଗଡ ନିର୍ବାଚନ ମଣ୍ଡଳୀରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରଶାନ୍ତ କୁମାର ବେହେରା ରହିଥିବା ବେଳେ ପୂର୍ବରୁ ଥିବା ସରକାର ସମୟରେ ଏହି ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳୀ ଗୃହ ବୃଦ୍ଧି କରାନଯିବା ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ଆଗାମୀ ଦିନରେ ଟାଙ୍ଗୀ-ଚୌଦ୍ୱାର ବ୍ଲକର ଅନ୍ୟ ପଞ୍ଚାୟତ ଗୁଡିକରେ କିଭଳି ଆଉ ନୂତନ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ହେବ ଏନେଇ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ସ୍ଥାନୀୟ ବିଧାୟକ ଓ ସରକାରଙ୍କ ପାଖରେ ନିବେଦନ କରିଛନ୍ତି।