ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର: ପୁଲିସର ତଦନ୍ତ ଜାରି

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର: ପୁଲିସର ତଦନ୍ତ ଜାରି

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର: ପୁଲିସର ତଦନ୍ତ ଜାରି


ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଚୌଦ୍ୱାର ଥାନା ଅଧିନସ୍ଥ କୟଳପଡ଼ା ପଞ୍ଚାୟତ ନୂଆପାଟଣା ଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ଅଞ୍ଚଳରେ ସସପେନ୍ସ ଜାରିରହିଛି । ମିଳିଥିବା ସୂଚନା ଅନୁଯାୟୀ ନୂଆପାଟଣା ଗ୍ରାମ ଡାକବଙ୍ଗଳା ପଛପଟେ ଥିବା ନାଚୁଣୀ ପାଟ ରାସ୍ତା କଡ଼ରେ ଅଜଣାବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତ ଦେହ ପଡ଼ିଥିବା ଦେଖି ଚୌଦ୍ୱାର ଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଚୌଦ୍ୱାର ଥାନା ଟିପିଏମ ଫାଣ୍ଡି ଅଧିକାରୀ ନିରଞ୍ଜନ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଏ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅନୁଧ୍ୟାନ କରିବା ପରେ ଉକ୍ତ ଶବକୁ ବ୍ୟବଚ୍ଛେଦ କରିବା ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ଉକ୍ତ ବ୍ୟକ୍ତିଜଣକ ଧୂସର ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧିଥିବାବେଳେ ଦେହରେ ସାର୍ଟ କିମ୍ବା ଗଞ୍ଜି ମଧ୍ୟ ନଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ କିଛି ଦିନ ଧରି ଉକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବୁଲା ବୁଲି କରୁଥିବା କିଛି ଲୋକ କହିଛନ୍ତି । ଏହି ବ୍ୟକ୍ତିଜଣକ ମାନସିକ ବିକୃତ ହୋଇଥିବା ଅଞ୍ଚଳବାସୀ ଅନୁମାନ କରୁଛନ୍ତି । ମାତ୍ର ଏହି ବ୍ୟକ୍ତିଙ୍କର କିଭଳି ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ । ରାସ୍ତାକଡ଼ରେ ତାଙ୍କ ମୃତଦେହ ମିଳିବା ନେଇ ନାନା କଳ୍ପନା ଜଳ୍ପନା ମଧ୍ୟ ସୃଷ୍ଟି ହେଉଛି । କେହି ତାଙ୍କୁ ହତ୍ୟାକରି ଏଠାରେ ପକାଇ ଦେଇଥିବା ଲୋକେ ଆଲୋଚନା କରୁଥିବାବେଳେ କୌଣସି ବିଷଧର ଜନ୍ତୁ କାମୁଡ଼ାରେ ମୃତ୍ୟୁବରଣ କରିଥାଇ ପାରନ୍ତି ବୋଲି ଶୁଣିବାକୁ ମିଳିଛି । ତେବେ ଏ ନେଇ ବ୍ୟବଛେଦ ରିପୋର୍ଟ ଏବଂ ପୁଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ପୁଲିସ ଅଧିକାରୀ କହିଛନ୍ତି । ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନଥିବାବେଳେ ତାଙ୍କର ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ